ଯେତେବେଳେ ବି ରାମାୟଣ କଥା ଆସେ, ଭଗବାନ ଶ୍ରୀରାମଙ୍କ ଭାବମୂର୍ତ୍ତି ଆଖି ଆଗରେ ନାଚି ଯାଏ। ବିଷ୍ଣୁଙ୍କର ସପ୍ତମ ଅବତାର ରୂପେ ଶ୍ରୀରାମଙ୍କୁ ପୂଜା କରାଯାଏ। ତେବେ କେବେ ଓ କେଉଁ ସମୟରେ ମାନବ ରୂପ ତ୍ୟାଗ କରିଥିଲେ ପ୍ରଭୁ ଶ୍ରୀରାମ।

ଭଗବାନ ରାମଚନ୍ଦ୍ର ଦଶ ହଜାର ବର୍ଷରୁ ବି ଅଧିକ ସମୟ ଧରି ପୃଥିବୀରେ ଥିଲେ। ପ୍ରଭୁ ରାମଚନ୍ଦ୍ର ତାଙ୍କର ଦୀର୍ଘ ଶାସନ କାଳରେ ଅନେକ ମହତ୍ଵ କାର୍ଯ୍ୟ କରିଥିଲେ।

ସେ ହିନ୍ଦୁ ଧର୍ମକୁ ଏକ ଗୌରବମୟ ଇତିହାସ ଦେଇଛନ୍ତି, ତା’ପରେ ଭଗବାନ ଶ୍ରୀରାମ ଏହି ଜଗତରୁ କାହିଁକି ଅଦୃଶ୍ୟ ହୋଇଗଲେ?

ପରିବାର ଛାଡ଼ି ବିଷ୍ଣୁଲୋକକୁ ଫେରିଯିବାର କାରଣ କ’ଣ ଥିଲା? ଅର୍ଥାତ୍ ପ୍ରଭୁ ଶ୍ରୀରାମ କିପରି ଦେହ ତ୍ୟାଗ କଲେ? ତେବେ ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କ ମାନବ ରୂପ ତ୍ୟାଗ କରିବା ବିଷୟରେ କିଛି ରୋଚକ କଥା...

ପଦ୍ମ ପୁରାଣରେ ଲିପିବଦ୍ଧ ହୋଇଥିବା କିମ୍ବଦନ୍ତୀ ଅନୁଯାୟୀ ଦିନେ ଜଣେ ବୃଦ୍ଧ ସାଧୁ ଭଗବାନ ଶ୍ରୀରାମଙ୍କ ଦରବାରରେ ପହଞ୍ଚିଥିଲେ। ତାଙ୍କ ସହିତ ଏକୁଟିଆ ଆଲୋଚନା କରିବାକୁ ଅନୁରୋଧ କରିଥିଲେ।

ସେହି ସାଧୁଙ୍କ ଡାକ ଶୁଣି ଭଗବାନ ରାମ ତାଙ୍କୁ ଏକ କୋଠରୀକୁ ନେଇଗଲେ ଏବଂ ସାନଭାଇ ଲକ୍ଷ୍ମଣଙ୍କୁ ଦୁଆର ନିକଟରେ ଛିଡ଼ା କରିଦେଲେ।

କହିଲେ ଯେ ଯଦି କେହି ତାଙ୍କ ଏବଂ ସାଧୁଙ୍କ ଆଲୋଚନାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ସେ ନିଜେ ତାଙ୍କୁ ଦଣ୍ଡ ଦେବେ।

ଲକ୍ଷ୍ମଣ ତାଙ୍କ ବଡ଼ ଭାଇଙ୍କ ଆଦେଶ ଅନୁଯାୟୀ ସେହି ଦୁଆର ନିକଟରେ ଏକୁଟିଆ ଜଗି ରହିଲେ। ସେହି ବୃଦ୍ଧ ସାଧୁ ବିଷ୍ଣୁଲୋକଙ୍କଠାରୁ ପଠାଯାଇଥିବା କାଳଦେବ ଥିଲେ।

ତାଙ୍କୁ ପ୍ରଭୁ ରାମଙ୍କୁ ଜଣାଇବାକୁ ପଠାଯାଇଥିଲା ଯେ ପୃଥିବୀରେ ତାଙ୍କର ଜୀବନ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ନିଜ ଦୁନିଆକୁ ଫେରିବାକୁ ପଡ଼ିବ।

ସେହି ସମୟରେ ଅଚାନକ ଋଷି ଦୁର୍ବାସା ଦ୍ଵାର ନିକଟକୁ ଆସିଲେ। ସେ ଭଗବାନ ରାମଙ୍କୁ ଭେଟିବା ପାଇଁ ଲକ୍ଷ୍ମଣଙ୍କୁ ଅନୁରୋଧ କରିଥିଲେ।

ହେଲେ ସେ ଶ୍ରୀରାମଙ୍କ ଆଦେଶ ପାଳନ କରି ଋଷି ଦୁର୍ବାସାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ଋଷି ଦୁର୍ବାସା ରାଗି ଋଷି ଭାବେ ବେଶ୍ ଜଣାଶୁଣା।

ଲକ୍ଷ୍ମଣଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ଉପରେ ଋଷି ଦୁର୍ବାସା କ୍ରୋଧିତ ହୋଇ କହିଥିଲେ, ଯଦି ମୋତେ ଭିତରକୁ ନ ଛଡ଼ିଲ , ମୁଁ ରାମଙ୍କୁ ଅଭିଶାପ ଦେବି।

ଏହା ଶୁଣି ଲକ୍ଷ୍ମଣ ଚିନ୍ତିତ ହୋଇପଡ଼ିଲେ। ସେ କିଛି ବୁଝିପାରିଲେ ନାହିଁ କି ତାଙ୍କ ଭାଇଙ୍କ ଆଦେଶ ପାଳନ କରିବେ ନା ଅଭିଶାପରୁ ରକ୍ଷା କରିବେ ବୋଲି ଭାବିବାରେ ବ୍ୟସ୍ତ ହୋଇଗଲେ।

ଲକ୍ଷ୍ମଣ କେବେବି ଚାହୁଁ ନଥିଲେ ଯେ ତାଙ୍କ ବଡ଼ ଭାଇ ତାଙ୍କ ଯୋଗୁଁ କୌଣସି ଅସୁବିଧାରେ ପଡନ୍ତୁ। ତେଣୁ ଲକ୍ଷ୍ମଣ ମୃତ୍ୟୁଦଣ୍ଡ ଭୋଗିବାକୁ ସ୍ଥିର କଲେ ଯାହା ଦ୍ୱାରା ଶ୍ରୀରାମ ଋଷି ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇପାରିବେ।

ଏହା ପରେ ଲକ୍ଷ୍ମଣ କୋଠରୀ ଭିତରକୁ ପ୍ରବେଶ କଲେ। ଲକ୍ଷ୍ମଣଙ୍କୁ ଦେଖି ପ୍ରଭୁ ରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଗଲେ। ବର୍ତ୍ତମାନ ଗୋଟିଏ ପଟେ ତାଙ୍କର ଭାଇ ଥିଲେ ଏବଂ ଅନ୍ୟପଟେ ତାଙ୍କର ପ୍ରତିଜ୍ଞା ହେତୁ ସେ ନିଜକୁ ଅସହାୟ ମନେ କରୁଥିଲେ।

ସେତେବେଳେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ କହିଥିଲେ। ସେହି ଯୁଗରେ ଦେଶରୁ ବାହାର କରିବା ମୃତ୍ୟୁଦଣ୍ଡ ସହିତ ସମାନ ବୋଲି ବିବେଚନା କରାଯାଉଥିଲା।

ହେଲେ ସେ ଭାଇ ରାମଙ୍କ ବିନା ଗୋଟିଏ ମୁହୂର୍ତ୍ତ ବି ରହିନଥିଲେ ତେଣୁ ଲକ୍ଷ୍ମଣ ନଦୀକୁ ଯାଇ ନିଜ ଶରୀର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ଶେଷନାଗରେ ପରିବର୍ତ୍ତନ ହୋଇ ବିଷ୍ଣୁଲୋକକୁ ଗଲେ।

ଭଗବାନ ଶ୍ରୀରାମ ଯେତେବେଳେ ଏ ବିଷୟରେ ଜାଣିବାକୁ ପାଇଲେ ପ୍ରିୟ ସାନ ଭାଇର ଏପରି କାମକୁ ନେଇ ଦୁଃଖିତ ହୋଇପଡ଼ିଥିଲେ।

ଏହା ପରେ ଭଗବାନ ଶ୍ରୀରାମ ମଧ୍ୟ ଏହି ଜଗତରୁ ଯିବାକୁ ମନସ୍ଥ କରିଥିଲେ। ତା’ପରେ ଶ୍ରୀରାମ ତାଙ୍କ ରାଜ୍ୟକୁ ତାଙ୍କ ପୁଅ ଏବଂ ଭାଇଙ୍କ ପୁତ୍ରମାନଙ୍କୁ ଦେଲେ।

ଏହାପରେ ସେ ସରଉ ନଦୀ ଆଡକୁ ଗଲେ। ସେଠାରେ ପହଞ୍ଚିବା ପରେ ଭଗବାନ ଶ୍ରୀରାମ ନଦୀ ଭିତରକୁ ଗଲେ ଏବଂ ପରେ ଭଗବାନ ବିଷ୍ଣୁ କିଛି ସମୟ ପାଇଁ ନଦୀ ଭିତରୁ ଦେଖାଦେଲେ।

ସେ ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେଲେ। ଏହିପରି ଭାବରେ, ଶ୍ରୀରାମ ନିଜର ମାନବ ରୂପ ତ୍ୟାଗ କରି ତାଙ୍କର ପ୍ରକୃତ ରୂପ ନେଇ ବୈକୁଣ୍ଠକୁ ଫେରିଯାଇଥିଲେ।

କେଉଁଠାରେ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ଲୁଚାଇ ଥିଲେ ଇନ୍ଦ୍ରଦେବ?